ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦଯାପିତ

ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟ

ଭୁବନେଶ୍ୱର, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-ଉତ୍କଳ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୧୫ରୁ ଚାଲିଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ କହିଛନ୍ତି ଯେ ନୂଆ-ଓ କାର୍ଯ୍ୟକ୍ରମର ପରିକଳ୍ପନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନିଆଯାଇଛି। ବିକଶିତ ଓଡ଼ିଶା ଓ ନୂଆ ଓଡ଼ିଶା ଗଢ଼ିତୋଳିବା ଲକ୍ଷ୍ୟ ଓ ଅଭିଳାଶରେ ଯୁବପିଢ଼ି କିଭଳି ସହଭାଗିତା ହେବେ ଏବଂ ତାଙ୍କର ସହଭାଗିତା ସ୍ବରୂପ ଏହି ଓଡ଼ିଶା ରାଜ୍ୟକୁ ଭାରତ ବର୍ଷରେ ଓ ପୃଥିବୀ ପୃଷ୍ଠରେ ଶ୍ରେଷ୍ଠ ଭାବେ ଗଢ଼ିତୋଳିବେ ତାହାହିଁ ଏହି ନୂଆ-ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ। ଶିକ୍ଷାର ପରିସରରୁ ବାହାରକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ଓ ଦକ୍ଷତା ପ୍ରତିପାଦନ କରିବାର ନିଆରା ପ୍ଲାଟଫର୍ମ ନୂଆ-ଓ କାର୍ଯ୍ୟକ୍ରମ। ଗୁଣାତ୍ମକ ଶିକ୍ଷା ଜଣେ ମଣିଷର ମାନବିକତାକୁ ପରିମାର୍ଜିତ କରିପାରିବ। କିନ୍ତୁ ତାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ହୋଇନଥାଏ। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟ। ସେଥିପାଇଁ ଆମ ଭିତରେ ପାଠ ସହିତ ଅନ୍ୟାନ୍ୟ ପ୍ରତିଭା ଓ ଦକ୍ଷତା ରହିଛି, ତାହା ଉନ୍ମୋଚନ କରିବା ଆଭିମୁଖ୍ୟ ରଖିଛି ନୂଆ-ଓ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଭାରତ ତଥା ସମଗ୍ର ବିଶ୍ବରେ ନିଜର ପ୍ରତିଭା ପ୍ରତିପାଦନ କରିବାରେ ଦକ୍ଷତା ହାସଲ କରିପାରିବେ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି  ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ କହିଛନ୍ତି ଯେ ନୂଆ ଉତ୍ସାହ ଓ ଉଦ୍ଭିପନା ନେଇ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାୟତନର ବିକାଶ ହୋଇପାରିଛି। ଛାତ୍ରଛାତ୍ରଙ୍କ ସମର୍ପଣ ଓ ପ୍ରତିବଦ୍ଧତା ଯୋଗୁ ସେମାନେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନରେ ଏହା ସହାୟକ ହୋଇଛି। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି। ପାଠପଢ଼ା ସମୟରେ ନିଜର ଉନ୍ନତି ସହିତ ଜାତି ତଥା ଦେଶର ବିକାଶ ପାଇଁ ନିଜକୁ ସମର୍ପଣ କରିବାକୁ ଶ୍ରୀ ତ୍ରିପାଠୀ ଆହ୍ବାନ ଦେଇଛନ୍ତି।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସଭାପତିତ୍ବ ଅଭିଭାଷଣ ରଖି ନୂଆ-ଓଡ଼ିଶା ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନରେ ପ୍ରେରଣା ଯୋଗାଇବ ଏବଂ ସେମାନଙ୍କ ବ୍ୟକ୍ତିତ୍ବ ଓ ଦକ୍ଷତା ବୃଦ୍ଧି ହେକ୍ଷତାରେ ସହାୟକ ହୋଇପାରିବ ବୋଲି କହିଥିଲେ। ପାଠପଢ଼ା ସହିତ ଖେଳୁଆଡ଼ ମନୋବୃତ୍ତି ନେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ହୋଇପାରିବ ବୋଲି କହିଥିଲେ।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସ୍ବାଗତ ଭାଷଣ ଦେଇଥିବାବେଳେ କୁଳସଚିବ ଡ.କାହ୍ନୁଚରଣ ଧୀର ଅତିଥି ପରିଚୟ ପ୍ରଦାନ କରିଥିଲେ। ନୂଆ-ଓ ନୋଡାଲ ଅଧିକାରୀ ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତ୍କଳ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୧୫ରୁ ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିଥିବା ନୂଅ-ଓ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ସ୍ୱରୂପ ଓଡ଼ିଶାର ଯୁବପିଢ଼ିମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନୂଆ-ଓ କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଚିତ୍ରକଳା, ଯୋଗ, ସଡ଼କ ନିରାପତ୍ତା ପଥପ୍ରାନ୍ତ ନାଟକ, ନିଶାନିବାରଣ ସଚେତନତା ଅଭିଯାନ, ଫୁଟବଲ, ଭଲିବଲ, ଚେସ, ବ୍ୟାଡମିଣ୍ଟନ, କ୍ୟାରମ, ଝୋଟି, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ସହିତ ୧୦୦, ୨୦୦ ଓ ୪୦୦ ମିଟର ପ୍ରତିଯୋଗିତା ସାଙ୍ଗକୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ ଥ୍ରୋ, ଜାଭେଲିନ ଥ୍ରୋ, ଡିସକସ ଥ୍ରୋ ଓ ଟଗ ୱାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହିତ ଭାରତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିଛନ୍ତି ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିବାରେ ସହାୟକ ହୋଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *