ଓଡ଼ିଶା ସମାଚାର

କ୍ୟାରେଜ ସାର୍ଟିଫିକେଟ୍ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ଅଭିଯୋଗ

କ୍ୟାରେଜ ସାର୍ଟିଫିକେଟ୍ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ଅଭିଯୋଗ

April 21
11:13 2017

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଆଉ ଏକ କାରନାମା ଏବେ ଲୋକ ଲୋଚନକୁ ଆସିଛି । ବିଭାଗୀୟ କମିଶନରଙ୍କ ନିର୍ଦ୍ଧେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଦାୟିତ୍ୱରେ ଥିବା ଆରଟିଓ ଯାଜପୁର ଜିଲ୍ଲାର କେତେକ ଠିକାଦାରଙ୍କୁ କ୍ୟାରେଜ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଆଉ ଏ ବାବଦକୁ ସାର୍ଟିଫିକେଟ୍ ପିଛା ୬୦ରୁ ୭୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବାର ଅଭିଯୋଗ ହୋଇଛି । ଜଣାଯାଇଛି ଯେ, ଯାଜପୁର ଯୋଗାଣ ବିଭାଗ ପକ୍ଷରୁ  ପରିବହନ ଠିକାଦାର ନିଯୁକ୍ତି ନିମନ୍ତେ ଗତ ମାର୍ଚ୍ଚ ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟତଃ ଏହି ଟେଣ୍ଡରରେ ଭାଗନେଇଥିବା ଠିକାଦାର ମାନଙ୍କୁ କ୍ୟାରେଜ୍ ସାର୍ଟିଫିକେଟ ଆଣିବା ପାଇଁ ଆରଟିଓଙ୍କ କାର୍ଯ୍ୟାଳୟରେ ଲମ୍ବା ଧାଡି ଲଗାଇବାକୁ ପଡିଥିଲା । ସରକାରୀ ନିୟମ ଅନୁଯାୟୀ ଏହି ସାର୍ଟିଫିକେଟ୍ ପାଇଁ ଆଶାୟୀଥିବା ଠିକାଦାରମାନେ ଏଥିପାଇଁ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟରେ ପ୍ରଥମେ ଆବେଦନ କରିବେ । ପରେ ଆରଟିଓ ଉକ୍ତ କାଗଜପତ୍ରକୁ ଯା କରିବା ପରେ ସେଗୁଡିକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟକୁ ପଠାଇବେ । ଯେଉଁ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ଆରଟିଓ ନଥିବେ ସେଠାରେ ଟ୍ରାନ୍ସପୋର୍ଟ ଡିପାର୍ଟମେଂଟର ଡେପୁଟି କମିଶନର ଆବେଦନକାରୀଙ୍କ କାଗଜପତ୍ରକୁ ଯାଂଚ କରିବା ପରେ ଜିଲ୍ଲାପାଳ ଏହାକୁ ଆପ୍ରୁଭ୍ କରିବେ । ଜିଲ୍ଲାପାଳଙ୍କ ଆପ୍ରୁଭ ପରେ ସମ୍ପୃକ୍ତ ଠିକାଦାରଙ୍କୁ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ କ୍ୟାରେଜ ସାର୍ଟିଫିକେଟ୍ ଇସ୍ୟୁ କରାଯିବ । କିନ୍ତୁ ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଆରଟିଓ ଦାୟିତ୍ୱରେ ଥିବା ଏମଭିଆଇ ମନୋଜ ବେହେରା କମିଶନରଙ୍କ ଏହି ନିର୍ଦ୍ଧେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ସ୍ଥାନୀୟ ଅଂଚଳର ଠିକାଦାର ମାନଙ୍କୁ କ୍ୟାରେଜ୍ ସାର୍ଟିଫିକେଟ୍ ଇସ୍ୟୁ କରିଥିବାର ଜଣାପଡିଛି । ଏହି ସାର୍ଟିଫିକେଟ୍ ବାବଦକୁ ଠିକାଦାରଙ୍କ ଠାରୁ ୬୦ରୁ ୭୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି । ଉକ୍ତ ଅର୍ଥରୁ ଜିଲ୍ଲାପାଳଙ୍କ ଆପ୍ରୁଭାଲ ପାଇଁ ପ୍ରତି ସାର୍ଟିଫିକେଟ୍ ପିଛା ୩୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବାର ଜନୈକ ଠିକାଦାର ନିଜ ନାମ ଗୋପନ ରଖି କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାଜପୁର ଆରଟିଓ ଦାୟିତ୍ୱରେ ଥିବା ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ଏହି କ୍ୟାରେଜ୍ ସାର୍ଟିଫିକେଟ୍ ଗୁଡିକୁ ତାଙ୍କ ଠାରୁ ଆପ୍ରୁଭ କରାଇନେଇଥିବାର ଜଣାପଡିଛି । ଯଦି କମିଶନରଙ୍କ ଏହି ନିର୍ଦ୍ଧେଶ ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥାନ୍ତେ ବା ଏଥିନେଇ ନୋଟ୍ସିଟ୍ରେ ବିସ୍ତୃତଭାବେ ଲେଖିଥାନ୍ତେ, ତେବେ ହୁଏତ ଜିଲ୍ଳାପାଳ ଏହାକୁ ଆପ୍ରୁଭ କରିନଥାନ୍ତେ । ଅନ୍ୟପକ୍ଷରେ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟର ଆରଟିଓ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ଏମଭିଆଇ ଏହି ସାର୍ଟିଫିକେଟ୍ ନିଜେ ଦେଇପାରିବେ ନାହିଁ ବୋଲି କହିଥିଲେ । ଫଳରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଏହି ଟେଣ୍ଡର ପାଇଁ ଆବେଦନ କରିଥିବା ଠିକାଦାରମାନେ ଯାଜପୁର ଆରଟିଓ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଯାହାର ସୁଯୋଗ ନେଇ ଯାଜପୁର ଆଂଚଳିକ ପରିବହନର କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ଆରଟିଓ ମୋଟା ଅଙ୍କର ଉକ୍ରୋଚ ନେଇ ଏହି ସାର୍ଟିଫିକେଟ୍ ଯୋଗାଇଦେଇଥିବାର ଜଣାପଡିଛି ।  କେବଳ ଏହି ସାର୍ଟିଫିକେଟ୍ ନୁହେଁ, ବିଭିନ୍ନ କାମ ବାବଦକୁ ଏହି କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଦଲାଲମାନେ ଲୁଟୁଥିବାର ଅଭିଯୋଗ ହୋଇଛି । ଏପରିକି, ବିଭିନ୍ନ କାମ ପାଇଁ ସରକାରୀ ଦେୟ ଜିମା ଦେବା ପରେ ଦଲାଲ୍ମାନେ ପରମିଟ୍ ବାବଦକୁ ୧ ହଜାର ଟଙ୍କା, ଫିଟ୍ନେସ୍ ବାବଦକୁ ୧ ହଜାର ଟଙ୍କା, ଡିଏଲ୍(ଏଲ.ଏମ୍.ଭି) ପାଇଁ ୫ଶହ ଟଙ୍କା, ଏମ୍.ସି. ପାଇଁ ୨ଶହ ଟଙ୍କା, ସାର୍ଟିଫିକେଟ୍ କପି ବାବଦକୁ ୧ଶହ ଟଙ୍କା, ମଟରସାଇକେଲ ରେଜିଷ୍ଟ୍ରେସନ ବାବଦକୁ ୧ଶହ ଟଙ୍କା, ଲାଇଟ୍ ଭେଇକେଲ୍ ରେଜିଷ୍ଟ୍ରେସନ୍ ବାବଦକୁ ୪ଶହ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ସେହିପରି ଅନ୍ୟ ରାଜ୍ୟର ଗାଡି ଏନ୍ଟ୍ରି ବାବଦକୁ ୪ହଜାର ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଲାଂଚ ଆଦାୟ କରାଯାଉଛି । ଅନ୍ୟପକ୍ଷରେ ବିନା ଟ୍ରାଏଲ୍ରେ ଅନଭିଜ୍ଞ ଗାଡି ଚାଳକଙ୍କ ଠାରୁ ଲାଂଚ ନେଇ ଡ୍ରାଇଭିଂ ଲାଇସେନ୍ସ୍ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଲାର ବିଭିନ୍ନ ଅଂଚଳକୁ ଚିପ୍ସ୍, ମେଟାଲ, ମୋରମ୍ ବୋଝେଇ ଓଭରଲୋଡ ଟ୍ରକ୍ ଗୁଡିକରୁ ମାସିକ ୧୫୦୦ ଟଙ୍କା ଲେଖାଏଁ ପାଖାପାଖି ୫୦୦ରୁ ଉଦ୍ଧ୍ୱର୍ ଗାଡିରୁ ଆଦାୟ କରାଯାଉଛି ବୋଲି କେତେକ ଦଲାଲ୍ ନିଜ ନାମ ଗୋପନ ରଖି କହିଛନ୍ତି । ଟ୍ରାନ୍ସପୋର୍ଟ କମିଶନର ଏ ଦିଗରେ ତୁରନ୍ତ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଯାଜପୁର ଆରଟିଓ ତଥା ଏମଭିଆଇ ମନୋଜ ବେହେରାଙ୍କୁ ପଚାରିବାରେ ମୁଁ କେତେକ ସପୋଟିଙ୍ଗ୍ ଡକୁମେନ୍ଟସ୍ କୁ ଆଧାର କରି କିଛି ଠିକାଦାରଙ୍କୁ ପରିବହନ(କ୍ୟାରେଜ୍) ସାର୍ଟିଫିକେଟ ଇସ୍ୟୁ କରିଛି ବୋଲି ସେ ଉତର ଦେଇଛନ୍ତି । ସେହିପରି ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଆରଟିଓ ତଥା ଏମଭିଆଇ ବିକାଶ ଚନ୍ଦ ଚୌଧୁରୀଙ୍କୁ ପଚାରିବାରେ ଏହି ସାର୍ଟିଫିକେଟ୍ ପ୍ରଦାନ କରିବା କ୍ଷମତା ମୋର ନାହିଁ । କାରଣ ଆମ କାର୍ଯ୍ୟାଳୟର ଆରଟିଓ ଛୁଟିରେ ଅଛନ୍ତି । କେବଳ ଡେପୁଟି କମିଶନର ଏହି ସାର୍ଟିଫିକେଟ୍ ଦେଇପାରିବେ ବୋଲି ସେ ଉର ଦେଇଛନ୍ତି । ସେହିପରି ଏ ସମ୍ପର୍କରେ କଟକ ଏସ୍ଟିଏ ର ଡେପୁଟି କମିଶନର ମନୋରଞ୍ଜନ ଲୋଧାଙ୍କୁ ପଚାରିବାରେ ଯେଉଁ କାର୍ଯ୍ୟାଳୟର ଆରଟିଓଙ୍କ ପଦବିଟି ଖାଲି ପଡିଛି ଏବଂ ତାଙ୍କ ଦାୟିତ୍ୱରେ ଥିବା ଆରଟିଓ ଏହି ସାର୍ଟିଫିକେଟ୍ ଦେଇପାରିବେ ନାହିଁ । ଯଦି ଯାଜପୁର ଏମ୍ଭିଆଇ କ୍ୟାରେଜ୍ ସାର୍ଟିଫିକେଟ୍ ଯୋଗାଇଥିବେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − 17 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...