ବି.ଏସ୍.କେ.ୱାଇ ହେଲା ବୟସ୍କ ମହିଳାଙ୍କ ସାହାରା

ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା,ମୁଖ୍ୟମନ୍ତ୍ରୀଙ୍କ ପାଇଁ କଲେ ଶୁଭକାମନା

ଭୁବନେଶ୍ୱର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା ( ବି.ଏସ୍.କେ.ୱାଇ )ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା । ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା ଦୟା ଉପରେ ନିର୍ଭର କରି ନୀରବରେ ରୋଗକଷ୍ଟ ଭୋଗ କରୁ ନାହାନ୍ତି । ମାଗଣାରେ ସୁପର ସ୍ପେସିଆଲିଟି ଚିକିତ୍ସା ପାଇ ରୋଗମୁକ୍ତ ହେଉଛନ୍ତି ।

                   ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ଗ୍ରାମର ୭୬ ବର୍ଷ ବୟସ୍କ ଶାନ୍ତିକୁମାରୀ ଶତପଥୀ କହନ୍ତି -“ମୋର ପେଟରେ ସିଷ୍ଟ ଟ୍ୟୁମର ହୋଇଥିଲା । ବଡ଼ କଷ୍ଟ ପାଉଥିଲି । ଚିକିତ୍ସା ପାଇଁ ଭୁବନେଶ୍ୱର ବା ବିଶାଖାପାଟଣା ଯିବାକୁ ହେବ । କେଉଁଠୁ ଏତେ ଟଙ୍କା ଆଣି ବାହାରେ ଚିକିତ୍ସା କରିବି । ପୁଅ ଟୁଲୁ କେଉଁଠୁ ବୁଝି ଆସି କହିଲା କାହିଁକି ମନଦୁଃଖ କରୁଛୁ ବୋଉ(ମା’) । ଆମର ବିଜୁ ସ୍ଵାସ୍ଥ୍ୟ କାର୍ଡରେ ବିଶାଖାପାଟଣାରେ ମାଗଣା ଚିକିତ୍ସା ହୋଇପାରିବ । ସେଇ ଭରଷାରେ ବିଶାଖାପାଟଣାର ମେଡିକଭର ହସ୍ପିଟାଲକୁ ଗଲୁ । ବି.ଏସ୍.କେ.ୱାଇ ଟିମ୍ ସାହାଯ୍ୟ କଲେ । ମୋର ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି । ସବୁ ପରୀକ୍ଷା, ଚିକିତ୍ସା, ଅପରେସନ ମାଗଣାରେ ହେଲା । ମୁଁ ଏବେ ଭଲ ଅଛି”। ସେ ଆହୁରି ମଧ୍ୟ କହନ୍ତି, ‘’ଭଗବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କରନ୍ତୁ । ତାଙ୍କେ ପରଉପକାର କରୁଛନ୍ତି । ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ ।  ତାଙ୍କର ଜୟ ହଉ”।

                   ଶାନ୍ତିକୁମାରୀଙ୍କ ପୁଅ ସୁଶାନ୍ତ କହନ୍ତି, ‘’ମାଆଙ୍କର ପେଟ ଭିତରେ ସିଷ୍ଟ  ଟ୍ୟୁମର ଜଣାପଡ଼ିଲା । ତାଙ୍କ ବୟସ ମଧ୍ୟ ଅଧିକ । ଶୀଘ୍ର ଅପରେସନ୍ ନହେଲେ ଅବସ୍ଥା ସଂକଟାପନ୍ନ ହୋଇପାରେ ବୋଲି ଡାକ୍ତର ସତର୍କ କରାଇଥିଲେ । ସୁପର ସ୍ପେସିଆଲିଟି ହସ୍ପିଟାଲରେ ବ୍ୟୟ ବହୁଳ ଚିକିତ୍ସା ପାଇଁ ଆମ ପରିବାର ଅସମର୍ଥ । ବି.ଏସ୍.କେ.ୱାଇ କାର୍ଡ ବଳରେ ମେଡିକଭର୍ ହସ୍ପିଟାଲରେ ୧୦ ଦିନ ରହିଲୁ । ହସ୍ପିଟାଲରେ ଲାପ୍ରାସ୍କୋପିକ ଆଡେସିଓଲାଇସିସ୍ ଓ ସିଷ୍ଟ ଅପରେସନ ହେଲା । ଖର୍ଚ୍ଚ ରାଜ୍ୟ ସରକାର ବହନ କଲେ । ମୋ ମା’ଙ୍କ ଜୀବନ ବଞ୍ଚାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ହୃଦୟଭରା କୃତଜ୍ଞତା ଜ୍ଞାପନ କରୁଛି ।

                   ରାଜ୍ୟ ସରକାରଙ୍କ ବି.ଏସ୍.କେ.ୱାଇ ଯୋଜନା ମାଧ୍ୟମରେ ଜଣେ ବୃଦ୍ଧ ମହିଳାଙ୍କର ଚିକିତ୍ସା ସଠିକ୍ ସମୟରେ ହୋଇପାରିବାରୁ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *