ଓଡ଼ିଶା ସମାଚାର

ଆଳୁ ବଜାରରେ ନିଆଁ, ଦର ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମାଜବାଦୀ ପାର୍ଟିର ଦାବି

ଆଳୁ ବଜାରରେ ନିଆଁ, ଦର ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମାଜବାଦୀ ପାର୍ଟିର ଦାବି

April 18
17:58 2017

ଭୁବନେଶ୍ୱର, ୧୮/୦୪/୨୦୧୭(ଓଡ଼ିଶା ସମାଚାର) –ଆଳୁ ବଜାରରେ ହଠାତ୍ ନିଆଁ ଲାଗିଯାଇଛି । ଗତ ୩ ଦିନ ପର୍ଯ୍ୟନ୍ତ ୭/୮ଟଙ୍କାରେ ଖୁଚୁରା ବଜାରରେ ବିକ୍ରି ହେଉଥିବା ଆଳୁ ଦର ହଠାତ୍ ୧୦ ଟଙ୍କାରୁ ୧୨ଟଙ୍କାରେ ପହଂଚିଛି ଯାହା ସାଧାରଣ ଖାଉଟିଙ୍କୁ ଖୁବ୍ ବାଧିଛି । ଆଳୁର କୃତି୍ରମ ଦର ବୃଦ୍ଧି ଅସାଧୁ ବ୍ୟବସାୟୀ ଓ କଳା ବେପାରୀଙ୍କ ପାଇଁ ଖାଉଟିଙ୍କୁ ଲୁଟିବାକୁ ସୁଯୋଗ ଦେଉଛି । ଆଳୁ ଦରକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ସରକାର ଯଦି ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । କାରଣ ଆଗାମୀଦିନରେ ବିବାହ ଋତୁ, ସାବିତ୍ରୀ ଓ ରଜ ଭଳି ଗଣପର୍ବମାନ ଥିବାରୁ ବେପାରୀମାନେ ଏହାର ସୁଯୋଗ ନେଇ ଖାଉଟିଙ୍କୁ ଲୁଣ୍ଠନ କରିପାରନ୍ତି । ତେଣୁ ସରକାର ତୁରନ୍ତ ଏ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବେହେରା ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ସେହିଭଳି କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଯୋଗୁ ଗ୍ରାମାଂଚଳରେ ଜଳଉତ୍ସ ସବୁ ଶୁଖିଗଲାଣି । ରାଜ୍ୟ ସରକାର ମାତ୍ର ୪୧ଭାଗ ଘରକୁ ପାଇପ୍ ଯୋଗେ ପାଣି ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି, ତାହା ପୁଣି ବିଭିନ୍ନ କାରଣରୁ ଅଚଳ ହୋଇପଡ଼ିଛି । କେଉଁଠି ଲୋ ଭୋଲ୍ଟେଜ୍ ଯୋଗୁ, କେଉଁଠି ବିଦୁ୍ୟତ୍ ସଂଯୋଗ ନଥିବା ଯୋଗୁ ଏବଂ କେଉଁ ଜାଗାରେ ପାଇପ୍ ବିଛା ନହୋଇଥିବା ଯୋଗୁ ବା ଦୁର୍ନୀତି ଯୋଗୁ ନିମ୍ନମାନର କାମ ପାଇଁ ଏହି ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଛି । ଭୂତଳ ଜଳସ୍ତର ତଳକୁ ଖସି ଯାଉଥିବା ଯୋଗୁ ଅଧିକାଂଶ ସ୍ଥାନରେ ଲୋକମାନେ ପିଇବା ପାଣିପାଇଁ ଡ଼ହଳ ବିକଳ ହେଉଛନ୍ତି । ପଶୁପକ୍ଷୀଙ୍କ କଥା ନ କହିବା ଭଲ । ତେଣୁ ସାଧାରଣ ଲୋକେ ପିଇବା ପାଣି ପାଇଁ କୂଅ, ପୋଖରୀ, ଚୁଆ ଓ ଶୁଖି ଯାଇଥିବା ନଦୀଶଯ୍ୟାକୁ ଖୋଲି ପିଇବା ପାଣି ସଂଗ୍ରହ କରୁଛନ୍ତି ତ କେଉଁଠି ମାଇଲ ମାଇଲ୍ ଚାଲି ଝରଣାରୁ ପିଇବା ପାଣି ଆଣୁଛନ୍ତି । ଏହ ଫଳରେ ସାଧାରଣ ଲୋକ ଝାଡ଼ାବାନ୍ତିର ଶିକାର ହେଉଛନ୍ତି । ସେହିଭଳି ବିଜୁଳି ସମସ୍ୟା ଗ୍ରାମାଂଚଳରେ ଲୋକଙ୍କୁ ଦହଗଞ୍ଜ କରୁଛି । ବାରମ୍ବାର ବିଜୁଳି କାଟ, ଲୋ ଭୋଲଟେଜ୍ ଏବଂ ଟ୍ରାନ୍ସଫରମର ସମସ୍ୟା ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି । ପାୱାର କଟ୍ ସମସ୍ୟାକୁ ନିଜେ ମୁଖ୍ୟମନ୍ତ୍ରୀ ଗତକାଲି ବିଜୁବାବୁଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରର ଜୟଦେବ ଭବନରେ ଅନୁଷ୍ଠିତ ସ୍ମୃତିସଭାରେ ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ତେଣୁ ସାଧାରଣ ଲୋକଙ୍କର ଏହି ଦୁଇ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଦାବିକରି  ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ, ପାୟତିରାଜ ବିଭାଗ ଓ ବିଜୁଳି ବିଭାଗ ଏ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ତା ନହେଲେ ଆଗାମୀ ଦିନରେ ଜନ ଅସନ୍ତୋଷ ଗଣଆନ୍ଦୋଳନର ରୂପ ନେଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × 1 =