ଓଡ଼ିଶୀରେ ବୈଦେହୀ ବିଳାଷ ଓ କଥକରେ ସୂର୍ଯ୍ୟ ଜ୍ୟୋତିର ଉପସ୍ଥାପନା

(ଉଦଯାପିତହେଲା କୋଣାର୍କ ଉତ୍ସବ ୨୦୨୩)

କୋଣାର୍କ/ଭୁବନେଶ୍ୱର,୦୫/୧୨/୨୦୨୩ (ଓଡ଼ିଶା ସମାଚାର)- ପୁରାଣଶାସ୍ତ୍ର ଓ କାବ୍ୟ ମହାକାବ୍ୟର ବିବିଧ ପ୍ରସଙ୍ଗକୁ ନେଇ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଖୁବ୍ ସମୃଦ୍ଧ । ଜୀବନର ସତ୍ୟକୁ ଉଦଘାଟନ କରି ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ସଂଚାର କରିଆସୁଥିବା ଶାସ୍ତ୍ର ଓ ପୁରାଣ ପ୍ରତି ଜୀବନ ପାଇ ଆଚରଣ ସଂହିତା ଓ ମାର୍ଗଦର୍ଶିକା । ଏହି ଚେତନାର ବିସ୍ତାର କରିଥିଲା କୋଣାର୍କ ସୂର୍ଯ୍ୟମନ୍ଦିର ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଂଚ ଉଦଯାପନୀ ସଂଧ୍ୟା । ପର୍ଯ୍ୟଟନ ବିଭାଗ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବର ସଂଧ୍ୟାକୁ ଶାସ୍ତ୍ରୀୟ ଓଡ଼ିଶୀ ଓ କଥକ ନୃତ୍ୟରେ ବିଭୋର କରିଥିଲେ ଶିଳ୍ପୀ । ପ୍ରତିକୂଳ ପାଗକୁ ନେଇ ପାଣିପାଗର ପୂର୍ବାନୁମାନ ଅନେକ ଆଶଙ୍କା ସୃଷ୍ଟି କରିଥିଲେ ମଧ୍ୟ ନୃତ୍ୟର ଉପସ୍ଥାପନା ଓ ଦର୍ଶକଙ୍କ ଉପସ୍ଥିତିରେ ଏହାର ସାମାନ୍ୟ ପ୍ରଭାବ ପଡ଼ିବାର ଦେଖାଯାଇନଥିଲା ।

ପ୍ରଥମ ଚରଣରେ ଓଡ଼ିଶୀ ନୃତ୍ୟଗୁଚ୍ଛ ନେଇ ମଂଚ ପ୍ରବେଶ କରିଥିଲେ ସୁବିଖ୍ୟାତ ନୃତ୍ୟ ବିଦୁଷୀ ଗୁରୁ କୁମ୍ କୁମ୍ ମହାନ୍ତି ଓ ଗୀତଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀଗଣ । ପାରମ୍ପାରିକ ବିଧି ଓ ସମର୍ପଣ ଭାବରେ ପ୍ରକାଶକୁ ମଂଚସ୍ଥ କରିଥିଲା ମଂଚପୂଜା ଓ ହଂସଧ୍ୱନୀ ପଲ୍ଲବୀ । ବିଚିତ୍ର ରାମାୟଣ କାବ୍ୟ ଅନ୍ତର୍ଗତ ବୈଦେହୀ ବିଳାଷ-ହେ ବନଗିରି ହେ ଲତାଗିରି ମୋ କାନ୍ତ ଗଲେ ମୃଗମାରି ର ପରିବେଷଣ କରୁଣ ରସ ରେ ବିଗଳିତ କରିଥିଲା ଦର୍ଶକଙ୍କ ହୃଦୟ । ଓଡ଼ିଶୀର ଅନ୍ତିମ ପ୍ରସ୍ତୁତିରେ ଥିଲା ଅଭିନୟ ମା ଭାବାନୀ । ଗୁରୁକୁମ୍ କୁମ୍ ମହାନ୍ତି ଓ ଗୀତଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀଙ୍କ ପରିବେଷଣରେ ବିମୁଗ୍ଧ ଦର୍ଶକ ପରିସରକୁ କରତାଳିରେ କମ୍ପିତ କରିଥିଲା ।

ଦ୍ୱିତୀୟ ପ୍ରସ୍ତୁତିରେ କଥକ ନୃତ୍ୟ ପରଶି ଦେଇଥିଲେ ସୂର୍ଯ୍ୟନାରାୟଣ ଉପାସନା ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ୟୋତି ଓ ରସ-ରୂପ ଓ ରଙ୍ଗର କଳାତ୍ମକ ନିବେଦନ ରଙ୍ଗବସନ୍ତ । ରାଜକୀୟ ଆଟୋପକୁନେଇ ଦରବାର ନୃତ୍ୟ ସଙ୍ଗୀତର ଅନୁଭବ ଦେଇଥିଲା । ଦରବାରୀ କାନଡ଼ାର ନୃତ୍ୟ ସଂରଚନା ଗୁରୁ ଲୁନା ପୋଦ୍ଧାର ଓ ପ୍ରେରଣା ଅନୁଷ୍ଠାନର ଶିଳ୍ପୀଙ୍କ ଉପସ୍ଥାପନା ସମବେତ ଦର୍ଶକଙ୍କୁ ଆନମନା କରି ଦେଇଥିଲା ।

ଉଦଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ମନୋଜ ଶର୍ମା; ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି; ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନାଗୁରୁ ଅରୁଣା ମହାନ୍ତି ଏବଂ କୋଣାର୍କର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ସଂଯୁକ୍ତାତ୍ରିପାଠୀ ।

ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆଜି ଉଦଯାପନ ହୋଇଥିଲା । ଅନ୍ତିମ ଦିନରେ ଗୁରୁବାର ମାଣବସା, ଓଡ଼ିଶାରମନ୍ଦିର ଓ ଭାରତର କିର୍ତୀରାଜିଉପରେ ବାଲୁକାକଳା ପ୍ରଦର୍ଶୀତ ହୋଇଥିଲା ଯାହାକୁ ଦର୍ଶକ ବହୁମାତ୍ରାରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।
ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣିଙ୍କ ସଂଯୋଜନା ସହିତ ମଂଚ ପରିଚାଳନାରେ ସହଯୋଗ ରଖିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଓ ଡଃ ସଂଗୀତା ଗୋସାଇଁ । ପରିଶେଷରେ କୃତୀ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମକର୍ତାମାନେ ଏହି ପାଂଚଦିନ ବ୍ୟାପି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *