ଜଗତସିଂହପୁର ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ

ଜଗତସିଂହପୁର,୦୫/୧୨/୨୦୨୩(ଓଡ଼ିଶା ସମାଚାର)- କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଗତସିଂହପୁର ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ମିଳିତ ଆନୁକୁଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ମୁଦାଲିଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। “ମୃତ୍ତିକା ଓ ଜଳ ଜୀବନର ଉତ୍ସ” ଥିଲା ଆଜିର ମୃତ୍ତିକା ଦିବସର ମୁଖ୍ୟ ବାର୍ତ୍ତା। ବିଭିନ୍ନ ପ୍ରକାରର ଜୈବିକ ପ୍ରଣାଳୀ ଅବଲମ୍ବନ କରି ଆମେ କିପରି ମାଟିମାର ଯତ୍ନ ନେଇପାରିବା ଏବଂ ମାଟିରେ ଜୈବିକ ପୃଷ୍ଟି ଉପାଦାନର ମୂଲ୍ୟ ବୃଦ୍ଧି କରିପାରିବା ଏହା ଥିଲା ଆଜିର ଦିବସର ମୂଳ ଲକ୍ଷ୍ୟ। ଏହି ଦିବସ ପରିପ୍ରେକ୍ଷୀରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯଥା ଜିଲ୍ଲା ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଯୋଗ ଦେଇ ପ୍ରାକୃତିକ ଏବଂ ଜୈବିକ କୃଷି ଉପରେ ପ୍ରାଧାନ୍ୟ ଦେଇଥିଲେ ଏବଂ ଏହା କିପରି ଚାଷୀମାନଙ୍କ ନିମନ୍ତେ ଖୁବ୍ ଉପଯୋଗୀ ସେହି ବିଷୟରେ ଉପଦେଶ ପ୍ରଦାନ କରିଥିଲେ। ତିର୍ତ୍ତୋଲ ବ୍ଲକର ଆତ୍ମାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ମଲ୍ଲିକ ଯୋଗ ଦେଇ ମୃତ୍ତିକାର ସ୍ବାସ୍ଥ୍ୟର ଗୁରୁତ୍ଵ ଏବଂ ଜୈବିକ କୃଷି ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ମୁଦାଲି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡ଼ଃ ଜୀବନଜିତ ସେନ୍ ମୃତ୍ତିକାର ମାନକୁ କିପରି ବଢ଼ା ଯାଇପାରିବ ଏବଂ ଏହା ଦ୍ବାରା ଚାଷୀମାନେ କିପରି ଲାଭବାନ ହେବେ ସେ ବିଷୟରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ଼ଃ ପ୍ରଦୀପ୍ତ ମାଝୀ ମାଟିମାର ଯତ୍ନ ନିମନ୍ତେ ଜୈବିକ ଏବଂ ପ୍ରାକୃତିକ କୃଷିର ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାର ମୃତ୍ତିକା ଅଧିକାରୀ ସମଲେଇ ପରିଡ଼ା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏ.ଡି.ଓ. ଜଗତସିଂହପୁର ଶ୍ରୀଯୁକ୍ତ ନବକିଶୋର ମହାପାତ୍ର, ଏ.ଡି.ଓ. ତିର୍ତ୍ତୋଲ ଶ୍ରୀଯୁକ୍ତ ପୂର୍ନେନ୍ଦୁ ଶେଖର ଆଚାର୍ଯ୍ୟ, ତିର୍ତୋଲ, ଏରସମା ଏବଂ କୁଜଙ୍ଗର ବ୍ଲକ ମୂଖ୍ୟ କୃଷି ଅଧିକାରୀ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା, ଡ଼ଃ ଦ୍ବାରିକା ମୋହନ ଦାସ, ସମସ୍ତ କର୍ମଚାରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ କର୍ମଚାରୀ ଯୋଗଦେଇ କାର୍ଯକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହି ସଭାରେ ୧୦୦ରୁ ଉର୍ଦ୍ଧ ଚାଷୀ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରି କାର୍ଯକ୍ରମଟିକୁ ଜୀବନ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାକୃତିକ କୃଷି ଏବଂ କୃଷି ଯନ୍ତ୍ରପାତିର ଏକ ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ବିଭିନ୍ନ ବ୍ଲକର ଚାଷୀମାନଙ୍କର ମୃତ୍ତିକା ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। “ମୃତ୍ତିକା ଓ ଜଳ ଜୀବନର ଉତ୍ସ” ଏହି ବାର୍ତ୍ତାଟି ଉପରେ ବଡ଼ ଏବଂ ଛୋଟ ଶ୍ରେଣୀର ସ୍କୁଲ ପିଲାମାନଙ୍କୁ ନେଇ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୃତ୍ତିକାର ମାନ ବୃଦ୍ଧିରେ ସହାୟତା କରିଥିବା ତିର୍ତ୍ତୋଲ ବ୍ଲକର ଚାଷୀ ସୌରଭ କୁମାର ବିଶ୍ବାଳଙ୍କୁ ମୃତ୍ତିକା ଦିବସ ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *