କଳିଙ୍ଗ ବାଲିଯାତ୍ରା ୨୦୨୩ ଉଦଯାପିତ

ପାରାଦ୍ବୀପ, ୦୪/୧୨/୨୦୨୩ (ଓଡ଼ିଶା ସମାଚାର)-ଗତକାଲି ସନ୍ଧ୍ୟାରେ ଜିଲ୍ଲା ର ପାରାଦ୍ଵୀପ ସ୍ଥିତ ବିଜୁ ମଇଦାନ ଠାରେ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା କଳିଙ୍ଗ ବାଲିଯାତ୍ରା ୨୦୨୩ ର ଉଦଯାପନୀ ସମାରୋହ ମହା ଆଡମ୍ବର ରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିକ୍ରମ କେଶରୀ ଆରୁଖ, ମାନ୍ୟବର ମନ୍ତ୍ରୀ ଅର୍ଥ ବିଭାଗ, ଓଡିଶା ସରକାର,ପ୍ରାଚୀନ ନୌ ବାଣିଜ୍ୟ ର ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ। ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ଏଥିପାଇଁ ଦିନେ ବଙ୍ଗୋପସାଗର କୁ କଳିଙ୍ଗ ସାଗର ଭାବେ ଅଭିହିତ କରାଯାଉଥିଲା।ଏହି ମହାନ ପରମ୍ପରାର ପୁନରୁଦ୍ଧାର ପାଇଁ ଜଗତସିଂହପୁର ବାସୀ ସର୍ବଦା ତତ୍ପର ଓ ଆଜି କଳିଙ୍ଗ ବାଲିଯାତ୍ରା ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ସେଥିପାଇଁ ପାରାଦ୍ଵୀପ ଆଜି ଉନ୍ନତି ର ମୁଖଶାଳା ପାଲଟିଛି ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ତୁଷାର କାନ୍ତି ବେହେରା, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ,କ୍ରୀଡା ଓ ଯୁବ ସେବା,ସ୍ବରାଷ୍ଟ୍ର ବିଭାଗ କହିଲେ ଯେ, ଜଗତସିଂହପୁର ମାଟି, ବିଜୁ ବାବୁଙ୍କ ମାଟି ଏବଂ ଏହା ସବୁବେଳେ ଐତିହ୍ୟର ଗୁଣଗାନ କରିଥାଏ। ପାରାଦ୍ବୀପ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅ ମାନଙ୍କ ର ମହାନ କିର୍ତ୍ତୀରାଜି କୁ ମନେ ପକାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ର ସୋପାନ ବୋଲି ଶ୍ରୀ ବେହେରା କହିଥିଲେ।ସ୍ଥାନୀୟ ଲୋକ ମାନଙ୍କ ଆମୋଦ ପ୍ରମୋଦ କୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଳିଙ୍ଗ ବାଲିଯାତ୍ରା କୁ ଆଉ ଅଧିକ ଦିନ କରିବା ପାଇଁ ସେ ଜିଲ୍ଲାପାଳ ତଥା ପାରାଦ୍ଵୀପ ପୋର୍ଟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ। ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପାରାଦ୍ବୀପ ସମେତ ସମସ୍ତ ଜିଲ୍ଲାବାସୀ ଙ୍କୁ ଆଗାମୀବର୍ଷ ଆହୁରି ସଫଳତାର ସହ କଳିଙ୍ଗବାଲିଯାତ୍ରା କୁ ସ୍ବାଗତ କରିବାପାଇଁ କହିଥିଲେ । ସୁଦୂର ଇଣ୍ଡୋନେସିଆ ରେ ଯେଉଁ ସଂସ୍କୃତି ପରମ୍ପରା ଦେଖାଯାଏ ତାହାର ଓଡିଶା ସଂସ୍କୃତି ସହିତ ଅନେକ ସାମଞ୍ଜସ୍ୟ ରହିଛି ଯାହା ସମ୍ଭବ ହୋଇ ପାରିଛି କଳିଙ୍ଗ ନୌବାଣିଜ୍ୟ ପାଇଁ।ବର୍ତ୍ତମାନ ର ଯୁବପିଢି ଙ୍କୁ ଏହାର ମହାନତା ବିଷୟ ରେ ଅବଗତ କରାଇବା ପାଇଁ ଶ୍ରୀ ରାଉତ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି କହିଲେ ଚଳିତ ବର୍ଷ କୋଭିଡ ପରବର୍ତ୍ତି ଦ୍ବିତୀୟ ବାଲିଯାତ୍ରା।ଏ ବର୍ଷ ଖୋଲାଯାଇଥିବା ୮୦୦ ଟି ଷ୍ଟଲ ରେ ଯଥେଷ୍ଟ କିଣା ବିକା ହୋଇଛି ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ରେ ଜିଲ୍ଲାର ଅର୍ଥନୀତି କୁ ସୁଦୃଢ କରିବା ସହ ଅନେକଙ୍କୁ ଆତ୍ମ ନିର୍ଭର କରିପାରିଛି।ରାଜ୍ୟ ତଥା ରାଜ୍ୟ ବାହାରୁ , ଯେପରି ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ବିହାର ପରି ୯ ଟି ରାଜ୍ୟ ରୁ ଆସିଥିବା ୨୮୦ ସ୍ଵୟଂ ସହାୟକ ଗୋଷ୍ଠୀ ର ହସ୍ତ ଶିଳ୍ପ ସାମଗ୍ରୀ ଗୁଡିକ ଆଦୃତ ହୋଇଛି।ଓରମାସ ପଲ୍ଲୀଶ୍ରୀ ମେଳାରେ ଗତ ବର୍ଷ ୧ କୋଟି ବ୍ୟବସାୟ ହୋଇଥିବା ବେଳେ ଏ ବର୍ଷ ଏହା ୧ କୋଟି ୫୧ ଲକ୍ଷ ଟଙ୍କାରୁ ଉଦ୍ଧ୍ବ ବ୍ୟବସାୟ କରିଛି ଯାହା ନିଶ୍ଚିତ ଭାବରେ ଏକ ଖୁସିର କଥା ବୋଲି ଜିଲ୍ଲାପାଳ କହିଥିଲେ। ଜି ଏମ୍ ଡି ଆଇ ସି ତରଫରୁ ହୋଇଥିବା ୪୦ ଟି ଷ୍ଟଲ୍ ଓ ଜଗତସିଂହପୁର ଜିଲ୍ଲାର ୩୦ ଟି ଷ୍ଟଲ ରେ ଜିଲ୍ଲାର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିଜର ସ୍ବାବଲମ୍ବନ ର ପନ୍ଥା ଖୋଜି ପାଇଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଚଳିତ ବର୍ଷ ର ବାଲିଯାତ୍ରା ର ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ, ପାରାଦ୍ଵୀପ ପୌର ପରିଷଦ, ବାଲିଯାତ୍ରା ଆୟୋଜକ କମିଟି ତଥା ସମସ୍ତ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ କହିଲେ ଯେ ,କଳିଙ୍ଗ ବାଲିଯାତ୍ରା ଏକ ସୁନ୍ଦର ପରମ୍ପରା ଯାହା ଇତିହାସର ମୂକସାକ୍ଷୀ ଓ କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି । ଚଳିତ ବର୍ଷର ସଫଳ ଆୟୋଜନ ନିଶ୍ଚିତ ଭାବେ ଆଗାମୀବର୍ଷ ପାଇଁ ପ୍ରେରଣାର ଉତ୍ସ ହେବ ଏହାକୁ ଆହୁରି ଉନ୍ନତ କରିବାପାଇଁ। ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର ମଧ୍ୟ କଳିଙ୍ଗ ବାଲିଯାତ୍ରାର ସଫଳ ଆୟୋଜନ ଏବଂ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଉଦଯାପନୀ ସମାରୋହରେ ପାରାଦ୍ବୀପ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବାବେଳେ ପାରାଦ୍ଵୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାରାଦ୍ଵୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ,ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ ,ମୁଖ୍ୟ ସାଧାରଣ ପରିଚାଳକ ଓ ମୁଖ୍ୟ,ପାରାଦ୍ଵୀପ ପୋର୍ଟ ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଦ, ଆଇ ଓ ସି ଏଲ୍ ର ସି ଜି ଏମ୍ ଶ୍ରୀ ତ୍ରିନାଥ ସାହୁ, , ଶ୍ରୀ ଅରୁଣ ରଥ, ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ର ମୁଖ୍ୟ ପ୍ରମୁଖ ଯୋଗଦେଇ କଳିଙ୍ଗ ବାଲିଯାତ୍ରା ର ସଫଳତା ବିଷୟ ରେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ,ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏହି ଶେଷ ସନ୍ଧ୍ୟା ରେ ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତନ୍ମଧ୍ୟରୁ ଅଧିକ ନମ୍ବର ଷ୍ଟଲ୍ ପାଇଁ ମା ସିଂହ ବାହିନୀ ଟସର ପ୍ରଡ୍ୟୁସର ଗ୍ରୁପ ,ଯାଜପୁର,ସୁନ୍ଦର ଉପସ୍ଥାପନା ପାଇଁ ଧନ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ, ସୁନ୍ଦରଗଡ,ମୋଷ୍ଟ ଇନୋଭେସନ୍ ଉତ୍ପାଦନ ପାଇଁ ଜୁହାରି ଆଗ୍ରୋ ପ୍ରଡକ୍ଟସ ପ୍ରଡ୍ୟୁସର କମ୍ପାନୀ, କୋରାପୁଟ, ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ପାଇ ଲକ୍ଷ୍ମୀ ନାରାୟଣ ଏସ୍ ଏଚ୍ ଜି, ମୟୁରଭଞ୍ଜ,ଶ୍ରେଷ୍ଠ ବିକ୍ରେତା ଭାବେ ମା ଗଙ୍ଗୋତ୍ରୀ ଏସ୍ ଏଚ୍ ଜି ,କୋରାପୁଟ ର ସୁମିତ୍ରା ଦାସ ଏବଂ ସବୁଠାରୁ ସଫଳ ଉଦ୍ୟୋକ୍ତା ଭାବେ ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେହପୁର ର ସାମ୍ଭାବୀ ଟେରାକୋଟା କ୍ଳଷ୍ଟର ର ଗୀତା ମୁଦୁଲିଙ୍କୁ ପୁରସ୍କାର ସହ ସମ୍ଵର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାରର ସ୍ବନାମଧନ୍ୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସାଙ୍ଗ କୁ ଘରକରଣା ଜିନିଷ ସହ ଟେରାକୋଟା ସାମଗ୍ରୀ, ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାଙ୍ଗକୁ ବାହାର ରାଜ୍ୟ ର ଖାଦ୍ୟ ପର୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା। ପିଲାମାନଙ୍କ ପାଇଁ ଆୟୋଜିତ ମୀନା ବଜାର, ବିଭିନ୍ନ ପ୍ରକାର ର ଦୋଳି ଲୋକ ମାନଙ୍କ ମନୋରଞ୍ଜନ କରିଥିଲା।

Leave a Reply

Your email address will not be published. Required fields are marked *