ସୁନ୍ଦରଗଡ଼ ବଣାଇଗଡ଼ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା କରିବା ଆମର ଲକ୍ଷ୍ୟ ହେଉଧର୍ମେନ୍ଦ୍ର ପ୍ରଧାନ

ବଣାଇଗଡ଼, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣାଇଗଡ଼ ଅତ୍ୟନ୍ତ ସମ୍ପନ୍ନ, ଚଷାଚାଷୀ, ଜନଜାତି ଅଧ୍ୟୁଷିତ ଓ ଭାବାବେଗର ଅଞ୍ଚଳ । ବଣେଇ ଏକ ସଭ୍ୟତା । ସର୍ବଦା ଭବିଷ୍ୟତକୁ ଦେଖିପାରୁଥିବାର ଅଞ୍ଚଳ । ଦୀର୍ଘ ୩୦ ବର୍ଷ ଧରି ବଣାଇଗଡ ସହ ମୋର ସୁସମ୍ପର୍କ ରହିଛି । ଏହା ମୋର ଘର ପରି । ବଣାଇଗଡ଼ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପ୍ରଧାନଙ୍କ ପବିତ୍ର ଭୂମି । ଏହି ଜିଲ୍ଲାରେ ଅଂସଗଠିତ ଜନଜାତି ସମାଜର ନେତୃତ୍ୱ ନେଇ ବିପ୍ଳବୀ ନିର୍ମଳ ମୁଣ୍ଡା ବ୍ରିଟିଶଙ୍କ କୁଶାସନ ଓ ଅତ୍ୟାଚାର ଶାସନ ବିରୋଧରେ ସଂଗ୍ରାମ କରିଥିଲେ । ଆମକୋ-ସିମକୋ ଗୁଳିକାଣ୍ଡ ଅତୀତକୁ ମନେପକାଇବାର ଅବସର ଦିଏ ।

ସେଭଳି ମାଟିରେ ୧୯୭୧ ମସିହାରେ ବ୍ରାହ୍ମାଣୀ ନଦୀର ଉପକୂଳରେ ପ୍ରତିଷ୍ଠା ହୋଇଥିବା ବଣାଇଗଡ଼ କଲେଜଟି ୫୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବଣାଇଗଡ଼ କଲେଜ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରସ୍ଫୁଟିତ କରିଆସୁଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଙ୍ଗୀତ ଆମର ଗୌରବମୟ କଳା ଓ ଲୋକସଂସ୍କୃତିର ଅନନ୍ୟ ନିଦର୍ଶନକୁ ଦର୍ଶାଉଛି । ତେବେ ଆମେ କେବଳ ଆମର ଇତିହାସକୁ ମନେପକାଇଲେ ଆଗକୁ ବଢିବା ନାହିଁ । ଆଗକୁ ଯିବା ପାଇଁ ହେଲେ ଇତିହାସର ଦର୍ପଣକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ପାଇଁ ପଡିବ । ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା ତିଆରି କରିବା ପାଇଁ ପଡିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷରେ ରାଜ୍ୟର ବିକାଶରେ ବଣାଇଗଡ କଲେଜର ଭୂମିକା କଣ ରହିବା ଦରକାର ?  ଏଆଇ, ମେସିନ ଲର୍ଣ୍ଣିଂ, ବ୍ରାହ୍ଣଣୀ ନଦୀକୁ ନେଇ ଜଳ ପରିଚାଳନାର ପାଠ ପଢାଇବା ଭଳି ବ୍ୟବସ୍ଥା ହେବା ଦରକାର ନା ନାହିଁ ? । କାରଣ, ବଣାଇଗଡରେ ସେହି ଶକ୍ତି ଅଛି । ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣେଇ ଇନ୍ଦ୍ରପୁର ଗାଁର ସାଧାରଣ ଘରୁ ଆସିଥିବା ଶ୍ରୀକାନ୍ତ ତ୍ରିପାଠୀ ପିତାଙ୍କୁ ହରାଇବା ପରେ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିଛି । ଆଇଆଇଟି ଖଡଗପୁରରେ ପାଠପଢି ଅଷ୍ଟ୍ରେଲିଆରେ ଫାର୍ମାସୀ କମ୍ପାନୀ ଖୋଲି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ନିଜ କମ୍ପାନୀ ଅଧୀନରେ ସେ ୨୪ଟି ହସ୍ପିଟାଲ ଚଲାଉଛନ୍ତି । ତେଣୁ ବଣାଇଗଡକୁ ଆଗକୁ ନେବା ପାଇଁ ହେଲେ ଶ୍ରୀକାନ୍ତଙ୍କ ମନ ଭିତରେ ଥିବା ଜିଦି ଓ ଉତ୍ସାହକୁ ସମସ୍ତ ଛାତ୍ରଛାତ୍ରୀଙ୍କ ମନରେ ଆଣିବାର ଆବଶ୍ୟକତା ରହିଛି ।  

୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଜାତନ୍ତ୍ରିକ ବ୍ୟବସ୍ଥା କାରଣରୁ ଆଜି ସରକାରୀ ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଛି ।  ୨୦୪୭ର ମୂଳ ଯୋଜନା ହେଉଛି ଯାହା କରିବା ସମସ୍ତଙ୍କୁ ନେଇ କରିବା, ସମସ୍ତଙ୍କ ପାଇଁ କରିବା । ଏହି କ୍ରମରେ ମୋଦି ସରକାରରେ ବଣାଇଗଡର ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ହୋଇଛି । ଡିଏମଏଫ ଫଣ୍ଡର ବ୍ୟବସ୍ଥା କାରଣରୁ ବଣାଇଗଡ଼ ଅଞ୍ଚଳରେ ଜନଜାତିଙ୍କ ବିକାଶ ହେଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ଓ ଅନୁସନ୍ଧାନ କରିବାର କ୍ଷମତା ବୃଦ୍ଧି ପାଇଥାଏ । ଆଜି ସବୁ ସ୍ଥାନୀୟ ଓ ମାତୃଭାଷା ଗୁଡିକରେ ପ୍ରାରମ୍ଭିକ ଅବସ୍ଥାରେ ପାଠ ପଢାଯିବା ନେଇ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *