ଚିର ନିଦ୍ରାରେ ପ୍ରଖ୍ୟାତ ବେତାର କଣ୍ଠଶିଳ୍ପୀ ଅନିମା କର

ମାହାଙ୍ଗା ,୨୯/୧୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ମଙ୍ଗଳ ବାର ବିଳମ୍ବିତ ରାତି ରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିମା କର ଙ୍କର ଦେହାନ୍ତ ଘଟିଛି । କଟକ ଜିଲ୍ଲା ମାହାଙ୍ଗାର ଘରକୁ ଘର ପରିଚିତ ଥିଲେ ଶରତ କର ଓ ଅନିମା କର । ଜଣେ ରାଜନୀତିରେ ଯେମିତି ଧୂରୀଣ ଓ ସାହିତ୍ୟ ସଂସ୍କୃତିରେ ପ୍ରବୀଣ, ଆଉଜଣେ କଳା ସଂଗୀତ ଓ ଶିକ୍ଷା ସଂସ୍କାର କ୍ଷେତ୍ରରେ ଅନନ୍ୟ ଅନୁପମ ସ୍ୱର ।
ଅନିମା କରଙ୍କ ଦେହାନ୍ତ ଓଡ଼ିଆ ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି । ଶହଶହ ଭକ୍ତି ସଂଗୀତର ମୂର୍ଚ୍ଛନା ତୋଳୁଥିବା ଅନିମା କର ଙ୍କୁ ଏ ଜାତି ସବୁଦିନ ପାଇଁ ହରାଇଲା । ଦିନେ ବେତାର ହେଉ କି ଦୂର ଦର୍ଶନ, ମନ୍ଦିର ହେଉ କି’ ମହୋତ୍ସବ,ସବୁଠି ଗୁଞ୍ଜରିତ ହେଉଥିଲା ଅନିମାଙ୍କ ସୁମଧୁର ସଂଗୀତର ମୂର୍ଚ୍ଛନା ।
ଇଂରାଜୀ ସାହିତ୍ୟର ଅଧ୍ୟାପିକା ଭାବରେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦ୍ୱାରା କିପରି ଭଲ ମଣିଷ ଭାବରେ ଗଢ଼ାଯାଇପାରିବ ସେ ଦିଗରେ ବେଶ୍ ସଚେତନ ଥିଲେ ଶ୍ରୀମତୀ କର । ଜଣେ ସୁଗୃହିଣୀ ଭାବେ ନିଜର ଦାୟୀତ୍ୱ ସମ୍ପାଦନ କରିବାରେ କେବେ କୌଣସି ତ୍ରୁଟି କରିନାହାନ୍ତି ଅନିମା ଦେବୀ । ଏକ ସାହିତ୍ୟ- ସମ୍ଭ୍ରାନ୍ତ ଓ ରାଜନୈତିକ ପରିବାରକୁ କିପରି ପରିଚାଳନା କରିବାକୁ ହୁଏ, ସେକଥା ସେ ଭଲ ଭାବରେ ବୁଝିଥିଲେ । ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ ଶରତ କର । ସେ ଯେତେବେଳେ ମନ୍ତ୍ରୀ, ସାଂସଦ, ବାଚସ୍ପତି ଓ ବିଧାୟକ ଭାବେ କାର୍ୟ୍ୟ କରୁଥିଲେ, ସେତେବେଳେ ତାଙ୍କ ସରକାରୀ ବାସଭବନ ହେଉ କିମ୍ବା ନିଜ ଘରେ,ସବୁବେଳେ ଗହଳ ଚହଳ ଲାଗିରହୁଥିଲା । କିନ୍ତୁ ଅତିଥି ସତ୍କାର ହେଉ କିମ୍ବା ସ୍ୱାମୀଙ୍କୁ ସହଯୋଗ କରିବାରେ ଅନିମା ଦେବୀ ସବୁବେଳେ ଆଗରେ ଥିଲେ । ମାହାଙ୍ଗାର ପାଣି ପବନ, ଐତିହ୍ୟ ପରମ୍ପରା, କଳା ସାହିତ୍ୟକୁ ଆପଣେଇ ନେଇଥିଲେ ଅନିମା ଦେବୀ । ଏହି ମହିୟସୀ କଳାନୁରାଗୀ ମହିଳାଙ୍କ ବିୟୋଗରେ ସାରା ମାହାଙ୍ଗା କାହିଁକି, ସାରା ରାଜ୍ୟ ର ଶ୍ରୋତା ଗଣ ଶୋକାଭିଭୂତ । ଅନିମା ଦେବୀଙ୍କୁ ବାଦ ଦେଇ ଶରତଙ୍କ ରାଜନୈତିକ ଓ ସାରସ୍ୱତ ଜୀବନର ଇତିହାସ ଅପୂର୍ଣ୍ଣାଙ୍ଗ ରହିଯିବ । ପୁଅ ଶୋଭନ କର ଆୟକର କମିଶନର ପଦବୀରୁ ଇସ୍ତଫା ଦେଇ ଶରତ-ଅନିମା ଫାଉଣ୍ଡେସନ ମାଧ୍ୟମରେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କ ବିୟୋଗ ରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *