ବୁଦ୍ଧେଶ୍ଵର ପୀଠରେ ବାଲିଯାତ୍ରା ରେ ୫୦ ହଜାର ଜନ ସମାଗମ

ବ୍ରାହ୍ମଣୀ ନଦୀରେ ପ୍ରାୟ ୧୦ ହଜାର ଭକ୍ତ କାର୍ତ୍ତିକ ବୁଡ ପକାଇଲେ

ଭୁବନ ୨୭/୧୧/୨୦୨୩ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି ।ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତ୍ତିକ ବୁଡ ପକାଇ ଡଙ୍ଗା ଭସାଇ ପ୍ରାତଃ ସମୟରେ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରି ଥିଲେ । ମାସକ ଯାକ ହବିଷ ପାଳନ କରୁଥିବା ମହିଳା ମାନେ ରାଇ ଦାମୋଦର ( ରାଧା ଗୋବିନ୍ଦ ) ଙ୍କ ପୂଜା ବିଭିନ୍ନ ଢଙ୍ଗ ରେ କରି ବ୍ରତ ସମାପନ କରିଥିଲେ । ବଡ଼ି ଭୋର୍ ରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିର ରେ ପ୍ରବଳ ଭିଡ ହୋଇଥିଲା । ଭକ୍ତ ମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିଥିଲେ। ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ୨୨ ତମ ବାର୍ଷିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବ କାଳରେ ଆଜିର ଦିନରେ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ଜାଭା,ବୋର୍ଣିଓ,ସୁମାତ୍ରା ପ୍ରଭୃତି ଅଞ୍ଚଳକୁ ଯାଉଥିବାରୁ ସାଧବ ବେଶରେ ସଜ୍ଜିତ ସାଧବ ପୁଅ ମାନଙ୍କ ଶୁଭ ମନାସି ବନ୍ଦାପନା କରି ସଙ୍କୀର୍ତ୍ତନ ଜରିଆରେ ବୁଦ୍ଧେଶ୍ଵର ମନ୍ଦିର କୁ ପାଛୋଟି ଆଣିଥିଲେ । ଗତ ୨୫ ତାରିଖ ଠାରୁ ଆର୍ଯ୍ୟ ସମାଜ ତରଫରୁ ଆରମ୍ଭ ହୋଇଥିବା ବିଶ୍ଵ ଶାନ୍ତି ମହାଯଜ୍ଞ ଆଜି ଅପରାହ୍ନ ରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଲୋକମାନେ ପଲ୍ଲୀଶ୍ରୀ ମେଳା,ଦୋଳି, ମିନା ବଜାର ସାଙ୍ଗକୁ ପ୍ରସିଦ୍ଧ ବରା ଘୁଗୁନି,ଦହିବରା ଆଳୁଦମ୍,ଚାଟ, ଦୋସା, ଠୁଙ୍କାପୁରୀ,ଫାଷ୍ଟ ଫୁଡ୍ ଦୋକାନ, ମନୋହରୀ ଦୋକାନ,ଆଇସ କ୍ରିମ ପାର୍ଲର ରେ ମନ ଭରି ଖିଆ ପିଆ କରିବା ସହ ଡଲା ,କୁଲା, ଲୁହା ଲତା ଘରକରଣା ସାମଗ୍ରୀ ଓ ହାଟ ବଜାର ରେ ମିଳୁନଥିବା ବିଭିନ୍ନ ଜିନିସ କିଣାକିଣି କରିଥିଲେ । ଚଳିତ ବର୍ଷ ବାଲିଯାତ୍ରା ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଜନ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ପୁରୁଷୋତ୍ତମପୁର ଶାସନ ରୁ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଙ୍କୁ ବିରାଟ ଶୋଭାଯାତ୍ରା ରେ ବୁଦ୍ଧେଶ୍ଵର ମନ୍ଦିର କୁ ଅଣାଯାଇ ହରିହର ଭେଟ କରାଯାଇଥିଲା।ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ସମେତ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *