ଢେଙ୍କାନାଳରେ ବିଜେପିର ମହାମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

             ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)-– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ଯୋଗଦେଇ ଜିଲ୍ଲାର ଅନେକ ତୁଙ୍ଗ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କରିବା ସହ ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ଭରସା ବଢିଛି । ଆଜିର ମିଶ୍ରଣ ପର୍ବ ଏହାର ଏକ ଝଲକ । ମୋଦୀଙ୍କ ନେତୃତ୍ୱରେ ତୃଣମୂଳ ସ୍ତରରେ ବହୁତ ପରିବର୍ତ୍ତନ ହୋଇଛି । ଓଡ଼ିଶାକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦକୁ ମୋଦୀ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଆବାସ ଯୋଜନାରେ ୩୪ ଲକ୍ଷ ଘର ଦେଇଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାସକୁ ମାଗଣାରେ ପାଞ୍ଚ କେଜି ଚାଉଳ ଦେଉଛନ୍ତି । ପ୍ରାୟ ୫୪ ଲକ୍ଷ ଲାଭାର୍ଥୀଙ୍କ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି ।

୨୦୪୭ ସୁଦ୍ଧା ବିକଶିତ କରିବା ପାଇଁ ନରେନ୍ଦ୍ର ମୋଦୀ ବଜ୍ର ଶପଥ ନେଇଛନ୍ତି । ମୋଦୀ ଗ୍ୟାରେଣ୍ଟିରେ  ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ।  ଆମର ପ୍ରାର୍ଥୀ ହେଉଛନ୍ତି ମୋଦୀ ଏବଂ ଚିହ୍ନ ହେଉଛି ପଦ୍ମ ଫୁଲ । ଆଜି ଦଳରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କ ରାଜନୈତିକ ଅନୁଭବ ଏବଂ ଉପସ୍ଥିତି ଢେଙ୍କାନାଳ ଜିଲ୍ଲା ସମେତ ଆମ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ମୋଦୀଙ୍କ ହାତମୁଠାକୁ ଟାଣ କରିବ । ଜିଲ୍ଲାରେ ଅତ୍ୟାଚାର, ବେପାରୀଙ୍କୁ ହଟାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ, ସରୋଜ ପଟ୍ଟନାୟକ, କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସମେତ ପରଜଙ୍ଗ ଓ ସ୍ଥାନୀୟ ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେଡ଼ି ଦଳର ଶତାଧିକ କର୍ମୀ, ବ୍ୟକ୍ତିବିଶେଷ ଓ ସମାଜସେବୀ ଦଳରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *