ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ

                                                      ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବ

ଭୁବନେଶ୍ୱର, ୦୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବ ରାତି୍ର ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସେ୍ୱଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିଭଳି ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

        ବୈଠକ ପ୍ରାରମ୍ଭରେ ଜାଗର ନୀତି ନିର୍ଘଣ୍ଟ ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୮ ତାରିଖ ଭୋର ୩ ଘଟିକା ସମୟରେ ମନ୍ଦିର ଖୋଲାଯାଇ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଏଥିରେ ଶ୍ରୀଜିଉଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ପୂର୍ବକ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥି ସହ ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ଦାୟିତ୍ୱ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼ା ପରିଷ୍କାରପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକୀକରଣ, ବ୍ୟାରିକେଡିଂ, ଟ୍ରାଫିକ୍‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ମୁତୟନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଜାଗର ଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ ନିୟୋଜିତ ସେ୍ୱଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯାଇ ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ।

        ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌ସିର ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ ସାହୁ, ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

-0-

Leave a Reply

Your email address will not be published. Required fields are marked *