ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ନିମନ୍ତେ ମାଛଧରା କଟକଣା ଦ୍ୱାରା ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ପ୍ରଦାନ

ଭୁବନେଶ୍ୱର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ନିମନ୍ତେ ମାଛଧରା କଟକଣା ଯୋଗୁ ପ୍ରଭାବିତ ସାମୁଦି୍ରକ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଯୋଜନାରେ ଜୀବିକା ସହାୟତା ପ୍ରଦାନ କରାଯାଇଛି । ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଡିବିଟି ମାଧ୍ୟମରେ ଏହି ସହାୟତା ପ୍ରଦାନ କରିଛନ୍ତି । ଏହା ଦ୍ୱାରା ୧୫୦୩୭ ଟି ପ୍ରଭାବିତ ମତ୍ସ୍ୟଜୀବୀ ପରିବାର ଉପକୃତ ହୋଇଛନ୍ତି ।

          ହିତାଧିକାରୀମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ୪୨୩ , କେନ୍ଦ୍ରାପଡା ଜିଲ୍ଲାର ୬୭୭୩ , ପୁରୀ ଜିଲ୍ଲାର ୩୪୫୦, ଗଞ୍ଜାମ ଜିଲ୍ଲାର ୩୬୩୮ ଏବଂ ବାଲେଶ୍ୱର ଜିଲ୍ଲାର ୭୫୩ ମତ୍ସ୍ୟଜୀବୀ ପରିବାର ରହିଛନ୍ତି । ପରିବାର ପିଛା ୧୫୦୦୦ ଟଙ୍କା ହିସାବରେ ସମୁଦାୟ ବାଇଶି କୋଟି ପଞ୍ଚାବନ ଲକ୍ଷ ପଞ୍ଚାବନ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

          କାର୍ଯ୍ୟକ୍ରମରେ ମତ୍ସ୍ୟଜୀବୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ଦୃଢ଼ ନେତୃତ୍ୱ ବଳରେ ରାଜ୍ୟ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ନୂତନ ଶିଖରରେ ପହଞ୍ଚିଛି । ଓଡ଼ିଶାରୁ ଉତ୍ପାଦିତ ସାମୁଦି୍ରକ ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦି୍ରକ ଖାଦ୍ୟର ଚାହିଦା ବିଦେଶରେ ଅଧିକ ଥିବା ଦୃଷ୍ଟିରୁ ଓଡ଼ିଶାର ଉପକୂଳରୁ ଅଧିକ ମାଛ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଓଡ଼ିଶା ସମୁଦ୍ର ଉପକୂଳରେ ୨୨ ହଜାରରୁ ଊଦ୍ଧ୍ୱର୍ ମାଛଧରା ଡଙ୍ଗା ମଧ୍ୟରେ ୧୭୪୧ଟି ଟ୍ରଲର, ୧୨ ହଜାର ୨୫୦ଟି ଯନ୍ତ୍ରଚାଳିତ ଡଙ୍ଗା ଓ ୮୧୬୭ଟି ମାନବଚାଳିତ ଡଙ୍ଗା ରହିଛି । ରାଜ୍ୟରେ ପ୍ରାୟ ୧୬ ଲକ୍ଷ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ ମଧ୍ୟରୁ ସାମୁଦି୍ରକ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୫ ଲକ୍ଷରୁ ଊଦ୍ଧ୍ୱର୍ । ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପ୍ରତି ରାଜ୍ୟ ସରକାରଙ୍କ ଯେତିକି ସଚେତନ, ଅନୁରୂପ ଭାବରେ ମାଛଧରା କଟକଣା ଯୋଗୁଁ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କ ଜୀବିକା ଓ କଲ୍ୟାଣ ପ୍ରତି ସେତିକି ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

          ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବିକା ସହାୟତା ରାଶି ୭୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ମତ୍ସ୍ୟଜୀବୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।

          ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ଭାରତର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଉପକୂଳବର୍ତ୍ତୀ ରାଜ୍ୟ ମଧ୍ୟରୁ ଅନ୍ୟତମ । ଓଡ଼ିଶାର ସାମୁଦ୍ରିକ ଉପକୂଳ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଏ;ୁଡ଼ିଶାଳ ଭାବେ ପରିଚିତ । ପ୍ରତିବର୍ଷ ହଜାର ହଜାର ମାଇଲ ଦୂରରୁ ଓଡ଼ିଶା ଉପକୂଳକୁ ସେମାନେ ଅଣ୍ଡାଦାନ ପାଇଁ ଆସିଥାନ୍ତି ।  ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ନିମନ୍ତେ, ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣ, ଭଦ୍ରକ ଜିଲ୍ଲାର ଧାମରା ନଦୀ ମୁହାଣ, ପୁରୀ ଓ ଜଗତସିଂପୁରର ଦେବୀ ନଦୀ ମୁହାଣ ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷସାରା ମାଛଧରା କଟକଣା ଲାଗୁ କରାଯାଇଥାଏ । ଏଥିପାଇଁ ଉକ୍ତ ପ୍ରଭାବିତ ଅଞ୍ଚଳର ମତ୍ସ୍ୟଜୀବୀ ପରିବାରମାନଙ୍କୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ଯୋଜନା ମାଛଧାରା ନିଷେଦ୍ଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ଏହି ଯୋଜନା ପ୍ରଚଳନ କରାଯାଇଅଛି ।

          ରାଜ୍ୟ ସରକାର, ବିଭିନ୍ନ ସମୟରେ ମତ୍ସ୍ୟଜୀବୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ସହାୟତାକୁ ସମୟକ୍ରମେ ବୃଦ୍ଧି କରିଛନ୍ତି । ୨୦୧୭-୧୮ ରେ ଏହି ସହାୟତାର ପରିମାଣକୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତବର୍ଷ ସହାୟତା ରାଶିର ପରିମାଣ ଦ୍ୱିିଗୁଣିତ କରି ୧୫୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ପ୍ରଥମକରି ଏଥିରେ ଭଦ୍ରକ ଜିଲ୍ଲାର ୭୫୩ ଟି ପ୍ରଭାବିତ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

          ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌ ରାଜ୍ୟ ସରକାରଙ୍କ ଯୋଜନା ମାଛଧରା ନିଷେଧ ସମୟରେ ସାମୁଦି୍ରକ ମତ୍ସ୍ୟଜୀବୀଙ୍କ ଜୀବିକା ସହାୟତାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ (କୋଷ୍ଟାଲ) ଶ୍ରୀ ମୁରଲୀଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିବାବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମତ୍ସ୍ୟଜୀବୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଯୋଗଦେଇଥିଲେ ।

-0-

Leave a Reply

Your email address will not be published. Required fields are marked *