ଓଡ଼ିଶା ସମାଚାର

ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ଚିଡ଼ିଆଖାନା ପ୍ରତିଷ୍ଠା ନେଇ ୨୦୦୨ର ଘୋଷଣା ଏଯାଏଁ କାର୍ଯ୍ୟକାରୀ ହେଲାନାହିଁ

ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ଚିଡ଼ିଆଖାନା ପ୍ରତିଷ୍ଠା ନେଇ ୨୦୦୨ର ଘୋଷଣା ଏଯାଏଁ କାର୍ଯ୍ୟକାରୀ ହେଲାନାହିଁ

July 17
13:58 2017

 

ସମ୍ବଲପୁର, ୧୭/୦୭/୨୦୧୭(ଓଡ଼ିଶା ସମାଚାର)- ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଆଗ୍ରହ ବର୍ତମାନ ସୁଦ୍ଧା ସାକାର ରୂପ ନେଇପାରି ନାହିଁ । ନନ୍ଦନକାନନରେ ଏକ ସମୟରେ ବହୁ ପ୍ରାଣୀଙ୍କ ମୃତୁ୍ୟପରେ ସେଂଟ୍ରାଲ ଜୁ ଅଥରିଟୀ ଅନେକ ପ୍ରାଣୀଙ୍କୁ ଦେଶର ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଧେଶ ଦେବାପରେ ରାଜ୍ୟରେ ଦ୍ୱିତୀୟ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ କରିଥିଲେ ରାଜ୍ୟ ସରକାର । ତେଣୁ ତଡ଼ିତ୍ ବେଗରେ ସମ୍ବଲପୁରରେ ଦ୍ୱିତୀୟ ନନ୍ଦନକାନନ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୨ ମସିହାରେ ଘୋଷଣା କରିଥିଲେ । ଏହା ଲକ୍ଷ୍ମୀଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ସ୍ଥାପିତ ହେବ ବୋଲି ସେ କହିଥିଲେ । ଏଥିପାଇଁ ୧୨୦ ଏକଡ଼ ଜଙ୍ଗଲ ଭୂମିକୁ ଚିହ୍ନଟ ମଧ୍ୟ କରାଯାଇଥିଲା । ଦ୍ୱିତୀୟ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠାକୁ ନେଇ ମୁଖ୍ୟମନ୍ତ୍ରୀ ଖୁବ୍ ଉତ୍ସାହିତ ଥିଲେ । ଘୋଷଣାର ଅଳ୍ପ ଦିନ ପରେ ସମ୍ବଲପୁର ପରିଦର୍ଶନ ଅବସରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତା ବେଳେ କେହି ପ୍ରାଣୀ ଉଦ୍ୟାନ ବିଷୟ ଉଲ୍ଲେଖ ନ କରିବାରୁ ମୁଖ୍ୟମନ୍ତ୍ରୀ ନିଜେ ଅତି ଉତ୍ସାହର ସହିତ ଏ ବାବଦରେ ଉଲ୍ଲେଖ କରି ସାମ୍ବାଦିକମାନଙ୍କ ସହିତ ଚର୍ଚ୍ଚା କରିଥିଲେ । ମାତ୍ର ସରକାରଙ୍କ ଏହି ସ୍ୱପ୍ନ ଚୁରମାର ହୋଇଗଲା । କାରଣ ଜାତୀୟ ରାଜପଥ ନିକଟରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ପାଇଁ ସେଂଟ୍ରାଲ ଜୁ ଅଥରିଟୀ ଅନୁମତି ଦେଲେ ନାହିଁ । ଜାତୀୟ ରାଜପଥ କଡ଼ରେ କିମ୍ବା କଳକାରଖାନା ବହୁଳ ଅଂଚଳରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ମାନଦଣ୍ଡ ରହିଛି । ତେବେ ଲକ୍ଷ୍ମୀଡୁଙ୍ଗୁରୀ ପରିବର୍ତେ ଏକ ବିକଳ୍ପ ସ୍ଥାନରେ ଦ୍ୱିତୀୟ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ପାଇଁ ଯେଭଳି ଉଦ୍ୟମ ହେବା କଥା ତାହା ହେଲାନାହିଁ । ନୀଲଡ଼ୁଙ୍ଗୁରୀ ବିକଳ୍ପ ସ୍ଥାନ ହୋଇପାରେ ବୋଲି ଜଙ୍ଗଲ ବିଭାଗର କେତେକ କର୍ମଚାରୀ ପ୍ରସ୍ତାବ ଦେଇଥିଲେ । ଯଦିଓ ନୀଲଡୁଙ୍ଗୁରୀ ମଧ୍ୟ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ତଥାପି ଏହା ପ୍ରାୟ ୭୦୦ ଏକଡ଼ ପରିମିତ ଅଂଚଳ ହୋଇଥିବାରୁ ଜାତୀୟ ରାଜପଥ କଡ଼ର ଭୂମିକୁ ବାଦ ଦେଇ ଆଭ୍ୟନ୍ତର ଅଂଚଳରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା କରାଯାଇ ପାରେ ବୋଲି ପ୍ରସ୍ତାବ ଦିଆଯାଇଥିଲା । ନୀଲଡ଼ୁଙ୍ଗୁରୀରେ ଉଦ୍ୟାନ ବିଭାଗର ତାଲିମ ପ୍ରତିଷ୍ଠାନ ଖୋଲାଯିବା ସହିତ ଏଠାରେ ୭୦ ଏକଡ଼ ପରିମିତ ସ୍ଥାନକୁ ଅତ୍ୟାଧୁନିକ ମାର୍କେଟ ଟର୍ମିନସ୍ ପ୍ରତିଷ୍ଠା ପାଇଁ ଆରକ୍ଷିିତ କରାଯାଇଥିବାରୁ ଆଭ୍ୟନ୍ତରରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା କରିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବିବେଚନା କରାଯାଉଥିଲା । ବିଭିନ୍ନ ସମୟରେ ସମ୍ବଲପୁରରେ ପ୍ରସ୍ତାବିତ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ବିଷୟ ଆଲୋଚନା ପରିସରକୁ ଆସିଛି । ଏପରିକି ୨୦୧୧ ମସିହାରେ ତଦାନିନ୍ତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ନନ୍ଦନକାନନ ପରି ସମ୍ବଲପୁରରେ ଏକ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ଥିବା ଉଲ୍ଲେଖ କରିଥିଲେ । ୨୦୧୨ ମସିହାରେ ସେତେବେଳର ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ବି.ପି. ସିଂହ କହିଥିଲେ ଯେ ସମ୍ବଲପୁରରେ ରାଜ୍ୟର ଦ୍ୱି୍ତୀୟ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ପାଇଁ ସେଂଟାଲ ଜୁ ଅଥରିଟୀଙ୍କୁ ନୂଆ ପ୍ରସ୍ତାବ ଦିଆଯାଇ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ମାତ୍ର ୨୦୦୨ ମସିହାର ପ୍ରଥମ ଘୋଷଣା ପରେ ଇତିମଧ୍ୟରେ ପ୍ରାୟ ୧୫ ବର୍ଷ ଅର୍ଥାତ୍ ଦେଢ଼ ଦଶନ୍ଧି ଅତିକ୍ରମ କରିସାରିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣର କୌଣସି ଠୋସ ଉପକ୍ରମ ପରିଲକ୍ଷିତ ହେଉନାହିଁ । ଯେଉଁ ପ୍ରକଳ୍ପ ବାବଦରେ ସରକାର ଅତି ଉତ୍ସାହର ସହିତ ଘୋଷଣା କରିଥିଲେ ଏବଂ ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁବ୍ ଖୁସିଥିଲେ ସେ ବାବଦରେ ସରକାରଙ୍କ ନୀରବତା ଏବଂ ଉଦାସୀନତାର କାରଣ ବୁଝି ହେଉନାହିଁ । ସରକାର ତାଙ୍କ ଘୋଷଣା କାର୍ଯ୍ୟକାରୀ କରିନଥିବାରୁ ଏହା ସରକାରଙ୍କ ପାଇଁ ଚନ୍ଦ୍ରରେ କଳଙ୍କ ଭଳି ରହିଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × two =