ଓଡ଼ିଶା ସମାଚାର

ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବୈଠକ

ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବୈଠକ

July 15
07:44 2017

ଭୁବନେଶ୍ୱର, ୧୫/୦୭/୨୦୧୭(ଓଡ଼ିଶା ସମାଚାର)- ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନଙ୍କୁ ଭେଟି ବୈଠକ କରିଛନ୍ତି । ଶ୍ରୀ କୋବିନ୍ଦ ପ୍ରଥମେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଂଚିବା ପରେ ସେଠାରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶଶୀଭୂଷଣ ବେହେରା ଓ ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବିଜୁ ପଟ୍ଟନାୟକ ଏୟାରପୋର୍ଟସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସିଧା ରାଜ୍ୟ ଅତିଥି ଭବନରେ ପହଂଚିଥିଲେ । ପରେ ବିଧାନସଭା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ କୋବିନ୍ଦଙ୍କୁ ବିଜୁ ଜନତା ଦଳ ସମସ୍ତ ସାଂସଦ ଓ ବିଧାୟକ ତାଙ୍କର ମତସାବ୍ୟସ୍ତ କରିବା ପାଇଁ ନିଷ୍ପତି ହୋଇଥିଲା । ବୈଠକରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରାରମ୍ଭରେ ଶ୍ରୀ କୋବିନ୍ଦଙ୍କୁ ପରିଚୟ କରାଇ ବିଜେଡି ସମର୍ଥନ କରୁଥିବା କାରଣ ଉପସ୍ଥାପନ କରିଥିଲେ । ବିଜୁ ଜନତା ଦଳ ସମ୍ବନ୍ଧରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସୂଚନା ଦେଇଥିଲେ । ସାଂସଦ ତଥାଗତ ସତପଥୀ ଓଡ଼ିଶା ଇତିହାସ ଓ ବିଜୁବାବୁଙ୍କ ସଂପର୍କରେ ସୂଚନା ଦେଇଥିବା ବେଳେ ସାଂସଦ ଦିଲ୍ଲୀପ ତିର୍କୀ ରାଜ୍ୟର ଜନଜାତିଙ୍କ ବିକାଶ ସଂପର୍କରେ ସୂଚନା ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶାରୀ ଆରୁଖ ସରକାରଙ୍କ ସାମଗ୍ରିକ ବିକାଶ ଓ ସଫଳତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂପର୍କ ସ୍ଥାପନ ଗୁରୁତ୍ୱପୂର୍ଣ୍ଣ । ସମନ୍ୱୟ ସଂଘୀୟ ବ୍ୟବସ୍ଥାରେ ବିଜୁ ଜନତା ଦଳ ବିଶ୍ୱାସ କରେ । ଭର୍ତୃହରି ମହାତାବ ବିଜୁ ଜନତା ଦଳ ସଂସଦୀୟ ଦଳର ନେତା ହିସାବରେ କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର ବିଭିନ୍ନ ପ୍ରସଂଗରେ ସାମ୍ୟକ ଆଲୋକପାତ କରିଥିଲେ ।Ramnatha Kobind
ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଉତରପ୍ରଦେଶର ସୁଦୂର ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଶ୍ରୀ କୋବିନ୍ଦଜୀ ଆଗକୁ ଯାଇ ସୁପ୍ରିମକୋର୍ଟର ରେକର୍ଡ ଆଡଭୋକେଟ୍, ପାର୍ଲିଆମେଂଟର ଉଚ୍ଚ ସଦନର ଜଣେ ସୁନାମଧନ୍ୟ ନେତା ଏବଂ ବିହାରର ରାଜ୍ୟପାଳ ଭଳି ଅନେକ ଉଚ୍ଚ ପଦବୀ ଅଳଙ୍କୃତ କରିଛନ୍ତି । ତାଙ୍କର କଠିନ ପରିଶ୍ରମ, ଦୃଢ଼ ପ୍ରତିଜ୍ଞା ଏବଂ ଦଳିତ ଓ ନିଷ୍ପେସିତ ଲୋକଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରୁଛି । ଉତର ଭାରତର ଏକ ଗ୍ରାମରେ ଏକ ସାଧାରଣ ଆରମ୍ଭରୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା, ଆଧୁନିକ ଭାରତର ପରିବର୍ତନକୁ ବାସ୍ତବିକ ରୂପେ ପ୍ରତିଫଳିତ କରେ ।  ତାଙ୍କର ଯାତ୍ରା ଆମର ସମ୍ବିଧାନର ଏହି ଶକ୍ତିକୁ ପ୍ରତିଫଳିତ କରେ, ଯାହା ଜାତି, ଧର୍ମ ଏବଂ ବର୍ଗ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ଉଚ୍ଚ ସ୍ୱପ୍ନ ଦେଖିବାର ଅଧିକାର ଅଛି । ମୁଁ ନିଶ୍ଚିତ ଯେ ଶ୍ରୀ କୋବିନ୍ଦ ଆଜି ପର୍ଯ୍ୟନ୍ତ ଯେଉଁ ପଥ ଅତିକ୍ରମ କରିଛନ୍ତି, ତାହା ଆପଣଙ୍କୁ ଏ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବା ପାଇଁ ଏବଂ ଆମ ସମ୍ବିଧାନରେ ଉଲ୍ଲେଖ ରହିଥିବା ଗାରିମାମୟ ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ଆପଣ ସର୍ବୋତମ ଭାବେ ଯୋଗ୍ୟ ବ୍ୟକ୍ତି ।
ଓଡ଼ିଶାର ଯାତ୍ରା ମଧ୍ୟ ସେହିପରି ରହିଆସିଛି । ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସାମୁହିକ ପ୍ରଗତିର ମୂଳ ନୀତିକୁ ଊଦ୍ଧ୍ୱର୍ରେ ତୋଳି, ଓଡ଼ିଶା ଅନେକ ବାଟ ଆଗେଇ ଆସିଛି । ଏକ ପ୍ରଗତିଶୀଳ ଏବଂ ସମୃଦ୍ଧ ଓଡ଼ିଶା ପାଇଁ ଜନଜାତି, ଅନୁସୂଚିତ ଜାତି, ମହିଳା, ଶିଶୁ, ଚାଷୀ ଏବଂ ଯୁବଗୋଷ୍ଠୀଙ୍କର ସଶକ୍ତିକରଣ ଓ ମୂଲ୍ୟବୋଧକୁ ବିଜୁ ଜନତା ଦଳ ତା’ର ଅନ୍ତଃସ୍ଥଳରେ ରଖିଛି । ତେଣୁ ଭାରତର ରାଷ୍ଟ୍ରପତି ପଦ ପାଇଁ ଶ୍ରୀ କୋବିନ୍ଦଜୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ଆମେ ନିଜକୁ ବିଶେଷାଧିକୃତ ମନେ କରୁଛି । ଆସନ୍ତା ଜୁଲାଇ ୧୭ ତାରିଖରେ ଶ୍ରୀ କୋବିନ୍ଦଜୀଙ୍କ ସମର୍ଥନରେ ବିଜୁ ଜନତା ଦଳର ମାନ୍ୟବର ସାଂସଦ ଏବଂ ବିଧାୟକମାନେ ନିଜର ମତ ସାବ୍ୟସ୍ତ କରିବେ । ତା’ସହ ଆମ ରାଜ୍ୟକୁ ପରିଦର୍ଶନରେ ଆସିଥିବାରୁ ଶ୍ରୀ କୋବିନ୍ଦଙ୍କୁ ଧନ୍ୟବାଦ ଜଣାଉଛି ।
କୋବିନ୍ଦ କହିଥିଲେ ଯେ ବିହାରର ରାଜ୍ୟପାଳ ନିଯୁକ୍ତି ହେବା ପରେ ସେ କୌଣସି ଦଳର ସଦସ୍ୟ ନୁହନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତର ସର୍ବଭୌମତ୍ୱକୁ ଅଖଣ୍ଡ ରଖିବେ, ଧର୍ମନିରପେକ୍ଷତା ଅବଲମ୍ବନ କରିବେ ଏବଂ ସମ୍ବିଧାନକୁ ସର୍ବୋଚ୍ଚ ମାନ୍ୟତା ଦେଇ ତା’ଅନୁସାରେ ଚାଲିବେ । ଭାରତର ସାମରିକ ବାହିନୀର ସର୍ବୋଚ୍ଚ କର୍ତା ଭାବେ ଭାରତର ଅଖଣ୍ଡତାକୁ ବଜାୟ ରଖିବେ ଏବଂ ଭାରତ ହେଉଛି ‘ୟୁନିଅନ୍ ଅଫ୍ ଷ୍ଟେଟ୍’, ତେଣୁକରି ଭାରତର ସଂଘୀୟ ବ୍ୟବସ୍ଥାକୁ ସର୍ବୋଚ୍ଚ ଗୁରୁତ୍ୱ ଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିବା ହେତୁ ଉଭୟଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଶେଷରେ ସାଂସଦ ପ୍ରତାପ କେଶରୀ ଦେବ ଆନୁଷ୍ଠାନିକ ଭାବେ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × one =